ଭୀମକେଲା ଛକ ନିକଟରେ ବୋଲେରୋ-ଟ୍ରାକ୍ଟର ମୁହାଁମୁହିଁ ଧକ୍କା

ବୋଲେରୋର ଚେଚିସ୍ ଭାଙ୍ଗିଲା, ଟ୍ରାକ୍ଟର ହେଲା ଦୁଇଖଣ୍ଡ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଚାରିଛକରୁ ରୁପ୍ରାରୋଡ ଯିବା ରାସ୍ତାର ଭୀମକେଲା ଛକ ଭମରପଡା ନିକଟରେ ଗତକାଲି ମଙ୍ଗଳବାର ରାତି ପାଖାପାଖି ୧୦ ଘଣ୍ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ରୁପ୍ରାରୋଡ ପଟୁ ଆସୁଥିବା ବୋଲେରୋ ନଂ- ଓଆର୍ ୦୮-ବି ୮୧୧୧ ନଦୀ ପଟୁ ରାସ୍ତା ଦେଇ ଯାଉଥିବା ରେଖପୁର ଗ୍ରାମର ମହିନ୍ଦ୍ରା ୪୭୫ ଡିଆଇ ଟ୍ରାକ୍ଟର ନଂ- ଓଡି ୦୮ ଏଲ୍ ୮୦୨୦ ସହିତ ଖୁବ୍ ଯୋରରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଦୁର୍ଘଟଣା ଏତେ ଯୋର ରହିଥିଲା ଯେ, ଟ୍ରାକ୍ଟରଟି ଦୁଇଖଣ୍ଡ ହୋଇଯାଇଥିବା ବେଳେ ବୋଲେରୋ ଗାଡିର ଚେଚିସ୍ ଭାଙ୍ଗି ଯାଇଥିବା କୁହାଯାଉଛି । ଟ୍ରାକ୍ଟର ଡ୍ରାଇଭର ଜଣକ ମେଦିନୀପୁର ନିକଟସ୍ଥ ସରଲାଞ୍ଜି ବାଏଲଯୋରର ବ୍ୟକ୍ତି ହୋଇଥିବା ବେଳେ ସେ ରୁପ୍ରାରୋଡର ମାଲିପଡା ମାମୁଁ ଘରେ ରହୁଥିବା କୁହାଯାଉଛି । ଟ୍ରାକ୍ଟର ଡ୍ରାଇଭର ବହୁତ ଗୁରୁତର ରହିଥିବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭିତ୍ତି କରାଯାଇଥିବା ଜଣାପଡିଛି । ସେହିଭଳି ବୋଲେରୋ ଗାଡି ଚାଳକ ମଧ୍ୟ ବିଶେଷ ଆଘାତ ପ୍ରାପ୍ତ ରହିଥିବା ବେଳେ ବୋଲେରୋ ମଧ୍ୟରେ ବସିଥିବା ପାଞ୍ଚଜଣ ବ୍ୟକ୍ତି ମଧ୍ୟ ଆହତ ପ୍ରାପ୍ତ ହୋଇଥିବା ଜଣାପଡିଛି । ଦୁର୍ଘଟଣା ଖବର ପାଇ ନର୍ଲା ପୋଲିସ ରାତିରେ ପହଞ୍ଚି ରାସ୍ତା ଉପରେ ବିକ୍ଷିପ୍ତ ହୋଇ ପଡିଥିବା ଗାଡି ଗୁଡିକୁ ଘୁଞ୍ଚାଇ ରାସ୍ତା କ୍ଲିଅର କରିଥିବା ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.