ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବଣ ପାହାଡ଼ ଭିତରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି କିଭଳି ଦୟନୀୟ ଅବସ୍ଥାରେ ରହୁଛନ୍ତି ଆଖିରେ ନଦେଖିଲେ ବିଶ୍ଵାସ କରିହେବନାହିଁ। ପ୍ରଶାସନ ପାଇଁ ଏହି ଗାଁ ସତେ ଯେମିତି ଅମଡ଼ା ବାଟ ହୋଇଛି। ଆମେ କହୁଛୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ୍ ଛତ୍ରପୁର ପଞ୍ଚାୟତର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଗାଁ ଲେପଟାଗୁଡା କଥା। ୬୬ଟି ପରିବାର ରହୁଥିବା ଏହି ଗାଁରେ ବର୍ଷ ବର୍ଷ ଧରି ପାନିୟ ଜଳ ଓ ଉଚ୍ଚ ଶିକ୍ଷା ପାଇଁ ଘୋର ଅସୁବିଧା ଦେଖା ଦେଇଛି। ପଞ୍ଚାୟତ କାର୍ଯ୍ୟାଳୟରୁ ଏହି ଲେପଟାଗୁଡା ଗାଁ ମାତ୍ର ୧୦ କି.ମି ଦୂରରେ ରହିଥିବା ବେଳେ ଏଠି ଉଚ୍ଚଶିକ୍ଷା ଓ ପାନୀୟଜଳ ଆଦିରେ ଅବହେଳିତ ହୋଇ ରହିଛି। ୧୦୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବସବାସ କରୁଥିବା ଗ୍ରାମବାସୀଙ୍କ ମୁଖ୍ୟ ସମସ୍ୟା ହେଉଛି ପାନୀୟଜଳ। ଗ୍ରାମରେ ଗୋଟିଏ ନଳକୂପ ରହିଥିବା ବେଳେ ଠିକ ଭାବରେ ପାଣି ବାହାରୁନାହିଁ ଫଳରେ ଗ୍ରାମ ନିକଟସ୍ଥ ଝରଣାରେ କୁଣ୍ଡ କରି ସେହି ପାଣିକୁ ପାନୀୟଜଳ ରୂପେ ବ୍ୟବହାର କରୁଛନ୍ତି। ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ଯୋଗୁଁ ଝରଣାର ବିଭିନ୍ନ ସ୍ଥାନରେ ପାଣି ଶୁଖି ଯାଇଥିବାବେଳେ ଗାଁରେ ପାନୀୟଜଳର ସୁବିଧା ପାଇଁ ବାରମ୍ବାର ସରପଞ୍ଚ ଓ ବ୍ଳକ୍ ପ୍ରଶାସନକୁ ଜଣାଇବା ପରେ ଆଜିକୁ ୧ ବର୍ଷ ହେଲା ଗାଁରେ ଜଳ ଯୋଗାଣ ପାଇଁ ୨ଟି ଗଭୀର ନଳକୂପ ଖୋଳା ଯାଇଛି। କିନ୍ତୁ ଦାଇତ୍ଵରେ ଥିବା ଠିକାଦାର ଓ ପ୍ରଶାସନିକ ଅଧିକାରୀ ଇଛା ପ୍ରକଟ କରୁ ନଥିବାରୁ ଆଜି ପର୍ଯ୍ୟନ୍ତ ସେଠାରେ ମୋଟର ସଂଯୋଗ ହୋଇନାହିଁ। ଫଳରେ ଗ୍ରାମବାସୀ ପାନିୟ ଜଳ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ହେଉଛନ୍ତି। ସେହିଭଳି ଗାଁରେ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବା ପରେ ଆଗକୁ ପଢ଼ିବାରେ କଷ୍ଟକର ହେଉଛି। ଗାଁ ଠାରୁ ମୁଖ୍ୟ ରାସ୍ତା ୪କି:ମି ବାଟ ସମ୍ପୂର୍ଣ୍ଣ ଭାବେ ଜଙ୍ଗଲ ରହିଥିବା ବେଳେ ସଦାସର୍ବଦା ଜଙ୍ଗଲୀ ହାତୀ ଓ ଅନ୍ୟ ହିଂସ୍ରଜନ୍ତୁଙ୍କ ମଧ୍ୟ୍ୟ ଭୟ ରହୁଛି। ତେଣୁ ଏହି ଗାଁର ସମସ୍ୟା ପ୍ରତି ପ୍ରଶାସନ ଓ ଜନପ୍ରତିନିଧି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।