ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲାର ବହୁ ଚର୍ଚ୍ଚିତ ନର୍ଲା ନିର୍ବାଚନ ମଣ୍ଡଳୀରେ ତ୍ରୀମୁଖି ପ୍ରତିଦ୍ବନ୍ଦିତା ହେବାକୁ ଯାଉଥିବା ବେଳେ ସ୍ଵାଧୀନ ପ୍ରାର୍ଥୀ ପ୍ରଦୀପ ନାଏକ ମଧ୍ୟ ପ୍ରଚାର ପ୍ରସାରରେ ଗୋଟିଏ ପାଦ ଆଗରେ ରହିଛନ୍ତି। ତୃଣମୂଳ ସ୍ତରରେ ଦୀର୍ଘ ତିରିଶ ବର୍ଷ ଧରି ବିଜେପି ପାଇଁ ସଙ୍ଗଠନ କରି ଆସିଥିବା ଯୁବ ନେତା ଶ୍ରୀ ନାଏକଙ୍କୁ ପାର୍ଟି ନିରାଶ କରିବାରୁ ସେ ସ୍ଵାଧୀନ ପ୍ରାର୍ଥୀ ଭାବରେ ନର୍ଲାରେ ନିର୍ବାଚନ ଲଢିବାପାଇଁ ନିଷ୍ପତି ନେଇ ନର୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀମାନ କରୁଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ଶନିବାର ନର୍ଲା ବ୍ଲକ ଅଧିନସ୍ଥ ସେରଗଡ ଗ୍ରାମ ପଞ୍ଚାୟତର ଶ୍ରୀପାଲି ଗ୍ରାମରେ ଶତାଧିକ ସମର୍ଥକ କର୍ମୀଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ କରିଥିବା ଦେଖିବାକୁ ମିଳିଛି। ସ୍ଵାଧୀନ ପ୍ରାର୍ଥୀ ଶ୍ରୀ ନାଏକ କହିଛନ୍ତି ମୁଁ ଗତ ୩୦ ବର୍ଷ ଧରି ମୋର ସଙ୍ଗଠନ ଗଢିଛି। ମୋର କର୍ମୀ ମାନେ ମୋର ନେତୃତ୍ୱ ଚାହୁଁଛନ୍ତି। ଏଣୁ ମୁଁ ସେମାନଙ୍କୁ କେମିତି ନିରାଶ କରିବି? ଯେଉଁ ଦଳ ପାଇଁ ମୋର ବହୁମୂଲ୍ୟ ସମୟ ଦେଇ କାମକଲି ସେ ଦଳ ମୋର ସଙ୍ଗଠନ ଶକ୍ତିକୁ ଜାଣି ପାରିଲା ନାହିଁ। ମୋତେ ନିରାଶ କଲା। ମୋର ପ୍ରାର୍ଥୀତ୍ବକୁ ନେଇ କର୍ମୀ ମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଓ ଯୋଶ ରହିଛି। ଆମର ବିଜୟ ସୁନିଶ୍ଚିତ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ସ୍ଵାଧୀନ ପ୍ରାର୍ଥୀ ଶ୍ରୀ ନାଏକ ଆସନ୍ତା ୨୪ ରେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି।