କୃଷ୍ଣ କୁମାର ମହାନ୍ତିଙ୍କ ‘ଶ୍ୟାମଳୀ ଦାସ’ ଗଳ୍ପସମଗ୍ର ଉପରେ ଦୁଇ ସ୍ନାତକୋତ୍ତର ଛାତ୍ରୀ କରିବେ ଗବେଷଣା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ବିଶିଷ୍ଟ ଗାଳ୍ପିକ, କବି ତଥା ସମ୍ପାଦକ ଭାବରେ ସୁଖ୍ୟାତ କୃଷ୍ଣ କୁମାର ମହାନ୍ତିଙ୍କ ଗଳ୍ପବହି ‘ଶ୍ୟାମଳୀ ଦାସ’ ଉପରେ ପିଏଚଡ଼ି ଗବେଷଣା କରିବାକୁ ବାଲେଶ୍ଵର ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ପିଜି ଛାତ୍ରୀ ପୂର୍ଣ୍ଣିମା ବେହେରା ଓ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟର ପିଜି ଛାତ୍ରୀ ଦୀପାଞ୍ଜଳି ପଲେଇ ଆଗ୍ରହ ପ୍ରକାଶ କରିବା ସହିତ ପଞ୍ଜିକରଣ କରିଛନ୍ତି। ପୂର୍ଣ୍ଣିମାଙ୍କ ଗାଇଡ୍ ପ୍ରଫେସର ମଧୁମିତା ଘଡେଇ ଥିବାବେଳେ ଦୀପାଞ୍ଜଳିଙ୍କ ଗାଇଡ୍ ରହିବେ ଅଧ୍ୟାପକ ରାଜକିଶୋର ପଣ୍ଡିତ। ଏଥିପାଇଁ ଲେଖକଙ୍କ ସହିତ ଏକ ଅନୌପଚାରିକ ସାକ୍ଷାତକାର ପାଇଁ ଶ୍ରୀମହାନ୍ତିଙ୍କୁ ଭେଟି ଉଭୟ ଗବେଷିକା ତାଙ୍କ ଗଳ୍ପ ଓ ଲେଖକୀୟ ଜୀବନ ସମ୍ବନ୍ଧିତ ଜିଜ୍ଞାସା ରଖିଥିଲେ। ଶ୍ରୀମହାନ୍ତି ତାଙ୍କ ଗଳ୍ପ ସମୂହରେ ଥିବା ନାରୀ ମନସ୍ତତ୍ତ୍ୱ ତଥା ନାରୀର ନିୟତିକୁ ନେଇ ଯେଉଁ ସାମାଜିକ ଦିଗ ରହିଛି ସେ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ‘ଶ୍ୟାମଳୀ ଦାସ’ ଗପବହିର ପ୍ରଥମ ସଂସ୍କରଣ ଶେଷ ହୋଇଯିବା ପରେ ଏହାର ପ୍ରକାଶକ ଦ୍ଵିତୀୟ ସଂସ୍କରଣ ଉପଲବ୍ଧ କରାଇଛନ୍ତି। ପୂର୍ବରୁ ଶ୍ରୀମହାନ୍ତିଙ୍କ ଏହି ବହି ଉପରେ ଗବେଷଣା କରି ଫକୀରମୋହନ ବିଶ୍ୱବିଦ୍ୟାଳୟରୁ ଜଣେ ଛାତ୍ରୀ ଉପାଧି ପ୍ରାପ୍ତ ହୋଇଥିବା ବେଳେ ପୁଣିଥରେ ଏହି ବହି ଉପରେ ଗବେଷଣା କରିବାର ଆଗ୍ରହ ପ୍ରକାଶ କରିଥିବାରୁ ଶ୍ରୀ ମହାନ୍ତି ପୂର୍ଣ୍ଣିମା ଓ ଦୀପାଞ୍ଜଳୀଙ୍କୁ ଶୁଭାଶିଷ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀମହାନ୍ତି ଅଧୁନା ‘ରେବତୀ’ ପାରିବାରିକ ପତ୍ରିକାର ସମ୍ପାଦନା ସହଯୋଗୀ ଥିବା ବେଳେ ତାଙ୍କର ‘ରୁବି ରାଏ’ ନାମରେ ଏକ କବିତା ସଂକଳନ ମଧ୍ୟ ପାଠକୀୟ ଆଦୃତି ଲାଭ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.