ଅନୁଷ୍ଠିତ ହେଲା ଜଗଦୀଶ ଜୟନ୍ତୀ ସମାରୋହ: ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଗ୍ରହଣ କଲେ ‘ଜଗଦୀଶ କଥା ସମ୍ମାନ’

ଗାଳ୍ପିକା ସୁନନ୍ଦା ପ୍ରଧାନ ପାଇଲେ ‘ଜଗଦୀଶ ଯୁବ ସମ୍ମାନ’

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍’ ତରଫରୁ ଆୟୋଜିତ ‘ଜଗଦୀଶ ଜୟନ୍ତୀ’ ଭୁବନେଶ୍ଵରସ୍ଥ ବୁଦ୍ଧ ମନ୍ଦିର ଠାରେ ପାଳିତ ହୋଇଯାଇଛି। ଓଡ଼ିଆ କଥାସାହିତ୍ୟର ଜଣେ ଅପ୍ରତିଦ୍ୱନ୍ଦ୍ୱୀ କଥାକାର ଭାବେ ପରିଚିତ ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଓ ସମାଲୋଚକ ଗୁରୁଚରଣ ବେହେରା ଏବଂ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଅନୁବାଦକ ତଥା ସମୀକ୍ଷକ ହିମାଂଶୁ ଶେଖର ମହାପାତ୍ର ଯୋଗଦେଇ ଜଗଦୀଶ ମହାନ୍ତିଙ୍କ ସୃଜନକୃତି ଉପରେ ସବିଶେଷ ଆଲୋଚନା କରିଥିଲେ ।

ଏହି ଅବସରରେ ଚଳିତ ବର୍ଷର ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ବିଶିଷ୍ଟ ଗାଳ୍ପିକ ପବିତ୍ର ପାଣିଗ୍ରାହୀଙ୍କୁ ପ୍ରଦାନ କରାଯାଇଥିଲା । ପୁରସ୍କାର ବାବଦରେ ୧୦ ହଜାର ଟଙ୍କା ଓ ସମ୍ମାନ ଫଳକ ପ୍ରଦାନ କରାଯାଇଥିଲା । ସେହିପରି ଯୁବଲେଖକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଦିଆଯାଉଥିବା ‘ଜଗଦୀଶ ଯୁବ ସମ୍ମାନ’ ଏଥର ଗାଳ୍ପିକା ସୁନନ୍ଦା ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା । ତାଙ୍କୁ ମାନପତ୍ର ସହ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଉଭୟ ପୁରସ୍କୃତ ଲେଖକ ସେମାନଙ୍କ ଲେଖକୀୟ ବକ୍ତବ୍ୟରେ ଜଗଦୀଶ ମହାନ୍ତିଙ୍କ ଗଳ୍ପର ପ୍ରଭାବ ଉପରେ ଆଲୋକପାତ କରିଥିଲେ ।

ଉତ୍ସବରେ ସଭାପତିତ୍ୱ କରିଥିଲେ କଥାକାର ଡକ୍ଟର ସରୋଜିନୀ ସାହୁ । ‘ଟ୍ରଷ୍ଟ୍‍’ର ସଂପାଦକ ତଥା ଲେଖକ ସରୋଜ ବଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ଉତ୍ସବ ସଂଚାଳନ କରିଥିଲେ । ଉତ୍ସବ ଆରମ୍ଭରେ ବିଶିଷ୍ଟ କଥିକା ପ୍ରାଚୀତାରା ଜଗଦୀଶ ମହାନ୍ତିଙ୍କ ଏକ ଗଳ୍ପର ନାଟକୀୟ ଉପସ୍ଥାପନା କରିଥିଲେ ।

ଉତ୍ସବ ପରିଚାଳନାରେ ଅରୁଣ କୁମାର ଦାସ, ପ୍ରିୟାଂଶୁ ପ୍ରିୟଦେବ ପ୍ରମୁଖ ସହଯୋଗ କରିଥିବା ବେଳେ ବହୁ ଜଗଦୀଶପ୍ରେମୀ ପାଠକପାଠିକା, ଲେଖକ, ସଂପାଦକ, ପ୍ରକାଶକ ଓ ସାହିତ୍ୟାନୁରାଗୀ ଏଥିରେ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.