ମାସ୍କ ତିଆରି କରି ବାଣ୍ଟିବା ସହ କୁଇ ଭାଷାରେ କରୋନା ସଚେତନ କରୁଛନ୍ତି ଫୁଲମେ ନାନୀ

ଲାଞ୍ଜିଗଡ଼,୧୨/୫: ମହାମାରୀ କରୋନାର କରାଳ ଛାୟାରୁ ବଞ୍ଚିବା ପାଇଁ ସାରା ଦେଶ ଲକଡାଉନରେ ରହିଛି । ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ସାମାଜିକ ଦୁରତ୍ବ ରକ୍ଷା, ମାସ୍କ ପରିଧାନ, ଘରେ ରହିବା, ବାରମ୍ବାର ସାବୁନରେ ହାତ ଧୋଇବା ଆଦି ଉପରେ ଗୁରୁତ୍ବ ଦିଆଯାଉଛି। ଏପରି ଏକ ସନ୍ଦିକ୍ଷଣରେ ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକର ବନ୍ଧପାରୀ ପଞ୍ଚାୟତବାସୀଙ୍କୁ କରୋନା ସଚେତନତା କରାଇବାକୁ ଅବିରତ ପ୍ରୟାସ କରି ଆସୁଛନ୍ତି ସରପଞ୍ଚ ଫୁଲମେ ମାଝୀ । ଏହାସହ ନିଜର ସ୍ବେଚ୍ଛାସେବୀ ସଂଗଠନ ‘ଉନ୍ନୟନ’ ମାଧ୍ୟମରେ ଲୋକଙ୍କୁ ମାଗଣାରେ ମାକ୍ସ ବଣ୍ଚନ କରି ଚାଲିଛନ୍ତି ।

ଲାଞ୍ଜିଗଡ ବ୍ଲକର ରାଜେନ୍ଦ୍ରପୁର ଭଲି ଏକ ଅକ୍ଷାତ ପଲ୍ଲୀରୁ ଯାଇ ଦିଲ୍ଲୀ ତଥା ଲଣ୍ଡନ ଭଲି ସହରରେ ନିଜର ଶାଣିତ ସ୍ବର ଉତ୍ତୋଳନ କରିଥିବା ଆଦିବାସୀ ମହିଳା ହେଉଛନ୍ତି ଫୁଲମେ ମାଝୀ। ନିଜର ଉଲ୍ଲେଖନୀୟ ଜନସେବା ଯୋଗୁଁ ସେ ଗାଁ ଗାଁରେ ଫୁଲମେ ନାନୀ ଭାବେ ପରିଚିତ। ଫୁଲମେ ଆଦିବାସୀ ବହୁଳ ଅଞ୍ଚଳରେ ସାମାଜିକ ଉତ୍ଥାନ ପାଇଁ କାର୍ଯ୍ୟ କରିବା ସହ ଏକାଧିକ ଥର ସରପଞ୍ଚ ପଦବିରେ ଅସୀନ ହୋଇଛନ୍ତି। ସେହିପରି ନିଜ ଅଞ୍ଚଳରେ ଜନସେବା ପାଇଁ ଏକ ସ୍ବେଛାସେବୀ ସଂସ୍ଥା ଉନ୍ନୟନ ଗଠନ କରିବା ସହ ଏହାରି ଜରିଆରେ ବିଭିନ୍ନ ସମାଜସେବା କାର୍ଯ୍ୟ ହାତକୁ ନେଇଛନ୍ତି। ବର୍ତ୍ତମାନ କରୋନା ସଂକଟକୁ ଦୃଷ୍ଟିରେ ରଖି ତାଙ୍କ ନେତୃତ୍ଵରେ ‘ଉନ୍ନୟନ’ ପକ୍ଷରୁ ବନ୍ଧପାରୀ ଓ ବେଡାଗାଁ ପଞ୍ଚାୟତର ଅନେକ ଗାଁରେ ମାଗଣାରେ ମାସ୍କ୍ ବଣ୍ଟନ ସହ କୁଈ ଭାଷାରେ ଆଦିବାସୀ ପରିବାର ମାନଙ୍କୁ ସଚେତନ କରାଉଛନ୍ତି।

ସେହିପରି ଫୁଲମେ ମାଝୀଙ୍କ ପ୍ରେରଣାରେ ବେବିନା ମାଝୀ, ସୁରେଶ ସଂଗ୍ରାମ, ରାଜୀବ ମାଝୀ,ମୁକ୍ତା ବେହେରା, ରତ୍ନୀ ମାଝୀ, ଦେଶ ମାଝୀ, ରୁକ୍ମିଣୀ ସାହୁ, ରାଣୀ ମାଝୀ,ସାଧୁମନି ହରିଜନ ଓ ଦୁଇ ମାଝୀ ପ୍ରମୁଖ ସ୍ଵେଚ୍ଛାସେବୀ ନିଜନିଜ ମଧ୍ୟରେ ଚାନ୍ଦା ସଂଗ୍ରହ କରି କପଡ଼ା କିଣିବା ସହ ରାଜେନ୍ଦ୍ରପୁରର ମାଁ ହିରାନୀଲା, ମାଁ ଗାୟତ୍ରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ମାସ୍କ୍ ସିଲେଇରେ ନିଯୁକ୍ତ କରିଛନ୍ତି। ପରସ୍ପର ଚାନ୍ଦା ଓ ନିଜସ୍ବ ଉଦ୍ୟମରେ ବର୍ତ୍ତମାନ ସୁଦ୍ଧା ବନ୍ଧପାରୀ ଓ ବେଡାଗାଁ ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁରେ ଚାରି ହଜାର ମାସ୍କ୍ ବଣ୍ଟାସରିଛି। ଆଗାମୀ ଦିନରେ ବି ଏହି କାର୍ଯ୍ୟ ଜାରି ରଖିବାକୁ ଫୁଲମେ ମାଝୀ ନିଷ୍ପତ୍ତି ନେଇଥିବା ବେଳେ କୈାଣସି ସଂସ୍ଥା କିମ୍ଵା ବ୍ୟକ୍ତିବିଶେଷ ସହାୟତାର ହାତ ବଢ଼ାଇଲେ ଆହୁରି ଅଧିକ ଲୋକଙ୍କୁ ସଚେତନ କରିବା ସହ ମାଗଣା ମାସ୍କ୍ ବଣ୍ଟନ କରାଯାଇପାରନ୍ତା ବୋଲି ସେ ପ୍ରକାଶ କରିଛନ୍ତି। ଫୁଲମେ ମାଝୀଙ୍କ ଏହି କାର୍ଯ୍ୟଧାରାକୁ ନେଇ ଜିଲ୍ଲାର ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.