ସୋନପୁର,୧୨/୩ : ନିର୍ବାଚନ ପାଇଁ ଗତକାଲି ସନ୍ଧ୍ୟାରୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ତାର ପ୍ରଭାବ ଦେଖିବାକୁ ମିଳିଛି । ଆଜି ସକାଳୁ ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସରକାରୀ ବିଜ୍ଞାପନ ହୋର୍ଡିଂ ଗୁଡିକୁ କାଢି ଦିଆଯାଇଛି । ଏପରିକି ଜିଲା ସଦର ମହକୁମାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଲାଗିଥିବା ସରକାରୀ ବିଜ୍ଞାପନ ହୋର୍ଡିଂ ଗୁଡିକୁ ମଧ୍ୟ ଖୋଲି ଦିଆଯାଇଛି । ଗତକାଲି ରାତିରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସମେତ କାର୍ଯ୍ୟାଳୟ ବାହାର ରାସ୍ତାକଡରେ ଲାଗିଥିବା ହୋର୍ଡିଂ ଗୁଡିକୁ ଖୋଲା ଯାଇଥିଲା । ଆଜି ସକାଳୁ ପୌର କର୍ମଚାରୀ ମାନେ ସହରର ବସ୍ଷ୍ଟାଣ୍ଡ, ଡାକ୍ତରଖାନା, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ପୌର ପରିଷଦ କାର୍ଯ୍ୟାଳୟ, ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ଆଦି
ସ୍ଥାନରେ ଲାଗିଥିବା ହୋର୍ଡିଂ ଗୁଡିକୁ ଖୋଲି ଦେବା ସହ ସହରର ବିଭିନ୍ନ ରାସ୍ତାକଡରେ ଲାଗିଥିବା ବିଭିନ୍ନ ରାଜନୈତିକ ଦଳର ପତାକା ଗୁଡିକ ମଧ୍ୟ ଖୋଲି ଦେଇଛନ୍ତି । ତେବେ ଜିଲାର ସମସ୍ତ ବ୍ଲକ ସଦର ମହକୁମା ସମେତ ପଞ୍ଚାୟତ କାର୍ଯ୍ୟାଳୟ ଗୁଡିକରେ ଲାଗିଥିବା ସରକାରୀ ବିଜ୍ଞାପନ ହୋର୍ଡିଂ ଗୁଡିକ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ଖୋଲାଯିବାକୁ ନିର୍ଦେଶ ଦିଆଯାଇଥିବା ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି ।