୭୫% ଅକ୍ଷମତା ଥାଇବି ଦିବ୍ୟାଙ୍ଗଙ୍କୁ ମିଳୁନି ଭତ୍ତା, ବିପଦପୂର୍ଣ୍ଣ ଘରେ ବିତୁଛି ଜୀବନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ଅଧୀନ ସଉରାପଦର ଗ୍ରାମର ଚେରୁ ମହାନନ୍ଦଙ୍କ ଦିବ୍ୟାଙ୍ଗ ପୁଅ ରୁପା ମହାନନ୍ଦ (୮)ଙ୍କୁ କୈାଣସି ସରକାରୀ ସୁବିଧା ମିଳିପାରିନାହିଁ । ସେ ସେରେବେରାଲ ପେଲସି ବର୍ଗର ଦିବ୍ୟାଙ୍ଗ ହୋଇଥିବାବେଳେ ୭୫% ଅକ୍ଷମତା ଥିବା ସାର୍ଟିଫିକେଟ ପ୍ରାପ୍ତ ହୋଇଛନ୍ତି । ତେବେ ରୁପାଙ୍କୁ ଦିବ୍ୟାଙ୍ଗ ଭତ୍ତା ମିଳିନଥିବା ବେଳେ ଅତି ଅସହାୟ ଅବସ୍ଥାରେ ମାଟି ଝାଟି ଘରେ ପଡି ରହିଛନ୍ତି । ସେ ଚଳାବୁଲା କରିପାରୁନଥିବାରୁ ଖଟରେ ପଡ଼ି ରହିଛନ୍ତି । ଫଳରେ ମାଁ’ ବାପା ସବୁବେଳେ ପୁଅର ସେବାରେ ଲାଗିଥାନ୍ତି । ଚେରୁ ଶ୍ରମିକ ଭାବେ କାମକରି ଯେତିକି ଟଙ୍କା ରୋଜଗାର କରନ୍ତି ତାହା ପରିବାର ପ୍ରତିପୋଷଣ କରିବାରେ ଅଣ୍ଟେ ନାହିଁ । ଏପଟେ ଦିବ୍ୟାଙ୍ଗ ପୁଅକୁ ଛାଡି ଚେରୁଙ୍କ ସ୍ତ୍ରୀ ବାହାରକୁ କାମଧନ୍ଦା କରିବାକୁ ଯାଇ ପାରନ୍ତି ନାହିଁ । ଏମାନେ ଅତି ଗରିବ ବର୍ଗର ହୋଇଥିଲେ ସୁଦ୍ଧା ଆବାସ ଘରଟିଏ ପାଇପାରି ନାହାନ୍ତି, ଫଳରେ ବିପଦାପନ୍ନ ମାଟି ଘରେ ବିତୁଛି ଜୀବନ । ଅନେକ ଥର ହୁଇଲଚେଆର୍ ଓ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବା ପାଇଁ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା କୌଣସି ଲାଭ ହୋଇପାରି ନଥିବା କହିଛନ୍ତି ଚେରୁ ମହାନନ୍ଦ ‌। ତେଣୁ ପ୍ରଶାସନ ଦିବ୍ୟାଙ୍ଗ ରୁପା ମହାନନ୍ଦଙ୍କୁ ଭତ୍ତା ସହ ଏହି ପରିବାରକୁ ସମସ୍ତ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.