୭୪୦୦ରୁ ଅଧିକ ଭାରତୀୟ ଦୁଇ ଦିନ ମଧ୍ୟରେ ୟୁକ୍ରେନରୁ ସ୍ୱଦେଶ ଫେରିବେ

ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୟୁକ୍ରେନରୁ ଫେରିଲେଣି ୬୨୦୦ରୁ ଅଧିକ ଭାରତୀୟ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ‘ଅପରେସନ ଗଙ୍ଗା’ ଅଧୀନରେ ଭାରତ ଏକ ବ୍ୟାପକ ଉଦ୍ଧାର ଅଭିଯାନ ଜାରି ରଖିଛି । ଦ୍ରୁତ ଗତିରେ ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ନିବିଡ଼ ସହଯୋଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମସ୍ତ ପ୍ରକାର ପ୍ରୟାସ କରୁଛି । ଦ୍ରୁତ ଉଦ୍ଧାର ପ୍ରକ୍ରିୟାରେ ଇଣ୍ଡିଆନ ଏୟାର ଲାଇନ୍ସ ନିଜର ସବୁ ସମ୍ବଳକୁ ବିନିଯୋଗ କରୁଛି । ଚାରି ଜଣ କେନ୍ଦ୍ର ମନ୍ତ୍ରୀ – ହରଦୀପ ସିଂ ପୁରୀ, ଜ୍ୟୋତିରାଦିତ୍ୟ ଏମ ସିନ୍ଧିଆ, କୀରନ ରିଜିଜୁ ଏବଂ ଜେନେରାଲ ଭି.କେ. ସିଂ ଉଦ୍ଧାର କାର୍ଯ୍ୟ ତଦାରଖ ଓ ସହାୟତା କରିବା ଲାଗି ୟୁକ୍ରେନ ନିକଟବର୍ତ୍ତୀ ଦେଶକୁ ଯାଇଛନ୍ତି । ଭାରତୀୟ ବେସାମରିକ ବିମାନ ସହିତ ଭାରତୀୟ ବାୟୁସେନାର ବିମାନ ନିୟମିତ ଭାବେ ଅଟକ ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଲଗାତାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଉଦ୍ଧାର ପ୍ରକ୍ରିୟା ଫେବୃଆରୀ ୨୨ ତାରିଖରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୬୨୦୦ରୁ ଅଧିକ ଭାରତୀୟ ଫେରି ଆସିଛନ୍ତି । ଗୁରୁବାର ୧୦ଟି ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୨୧୮୫ ଜଣ ଭାରତୀୟ ସ୍ୱଦେଶ ଫେରିଛନ୍ତି । ବୁକାରେଷ୍ଟରୁ ୫ଟି, ବୁଦାପେଷ୍ଟରୁ ୨ଟି, କୋସିକେରୁ ଗୋଟିଏ ଏବଂ ରେସେସୋରୁ ୨ଟି ବେସାମରିକ ବିମାନ ଜରିଆରେ ଭାରତୀୟମାନେ ସ୍ୱଦେଶ ଫେରିଛନ୍ତି । ଏହାବ୍ୟତୀତ, ଭାରତୀୟ ବାୟୁସେନାର ୩ଟି ବିମାନ ଅଧିକ ଭାରତୀୟମାନଙ୍କୁ ନେଇ ସ୍ୱଦେଶ ଫେରୁଛି । ବେସାମରିକ ବିମାନଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯାଇଛି । ୭୪୦୦ରୁ ଅଧିକ ଭାରତୀୟ ଏହି ଦୁଇ ଦିନ ମଧ୍ୟରେ ସ୍ୱତନ୍ତ୍ର ବିମାନ ଯୋଗେ ଭାରତକୁ ଫେରିବେ । ଆଜି (୪ ମାର୍ଚ୍ଚ) ୩୫୦୦ ଭାରତୀୟ ଏବଂ ମାର୍ଚ୍ଚ ୫ ତାରିଖରେ ୩୯୦୦ ଭାରତୀୟ ସ୍ୱଦେଶ ଫେରିବେ ଆଶା କରାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.