ମଣ୍ଡିରେ ଧାନ ରାଜରାସ୍ତାରେ ଅନ୍ନଦାତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଡିଣ୍ଡିମ ପିଟୁଥିବା ବେଳେ ଚାଷୀର ଦୁଃଖ ଥମିବାର ନାଁ ନେଉନାହିଁ । କଷ୍ଟ ଉପାର୍ଜିତ ଧାନ ବିକ୍ରି କରିନପାରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀକୂଳ । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ଦୁଲୁକିବନ୍ଧ ଛକ ନିକଟରେ ଆଜି (ଶୁକ୍ରବାର) ଦୁଳକିବନ୍ଧ ମଣ୍ଡିର ଚାଷୀମାନେ ମୋଟେର ମୁଖୀଗୁଡା ରାସ୍ତା ଅବରୋଧ କରିଛନ୍ତି । ସୂଚନା ଅନୁସାରେ, ବଡ଼କୁଟୁରୁ ପେକ୍ସ ଅଧିନରେ ଥିବା ଦୁଲୁକିବନ୍ଧ ମଣ୍ଡିରେ ଆଜି ଖରିଫ ଧାନ ସଂଗହ ବନ୍ଦ ହେବା ସୂଚନା ମିଳିଛି । ତେବେ ୯ଜଣ ଚାଷୀଙ୍କ ୫୭୬ କ୍ବିଣ୍ଟାଲ ଧନ ବିକ୍ରି ହୋଇପାରି ନାହିଁ । ଫଳରେ ଅସନ୍ତୋଷ ଚାଷୀ ବାଧ୍ୟହୋଇ ରାଜରାସ୍ତା ଅବରୋଧ କରିଛନ୍ତି । ଟୋକାନ ବିଳମ୍ବ ତଥା ବର୍ଷା ପାଣି ଭୟ ଯୋଗୁଁ ସ୍ଥାନୀୟ ମତୁଆଲଗୁଡା ସ୍ଥିତ ସୀତାଫୁଡ଼ ମିଲ ମାଲିକ, ଏଜେଣ୍ଟ ଓ ପେକ୍ସ ଅଧିକାରୀଙ୍କ ସହ ବୁଝାମଣା କରି ମିଲକୁ ୯ ଜଣ ଚାଷୀଙ୍କ ୫୭୫ କ୍ୟୁଣ୍ଟାଲ ଧାନ ନିଜସ୍ୱ ଖର୍ଚ୍ଚରେ ନେଇଥିଲେ । ବର୍ତ୍ତମାନ ଟୋକାନ ଆସିବାରୁ ଉକ୍ତ ମିଲ ମାଲିକ ପରଚେଜ କରିବାକୁ ମନା କରୁଥିବା ଚାଷୀ ଅଭିଯୋଗ କରିଛନ୍ତି । ଏ ନେଇ ପେକ୍ସ ଅଧିକାରୀଙ୍କୁ ଚାଷୀ ଯୋଗାଯୋଗ କଲେ ସେ ମଧ୍ୟ ଜାଣିନାହିଁ ବୋଲି କହିଛନ୍ତି । ଏ ସମ୍ପର୍କରେ ଚାଷୀ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା କୋଣସି ସୁଫଳ ମିଳି ନାହିଁ । ଫଳରେ ଚାଷୀମାନେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ଫଳରେ ମୁଖିଗୁଡା ଭବାନିପାଟଣା ଗାଡ଼ି ଚଳାଚଳ ବନ୍ଦ ହୋଇଛି । ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ଖବର ପାଇ ଘଟଣା ସ୍ଥଳରେ ଜୟପାଟଣା ପୋଲିସ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିବା ବେଳେ କୋଣସି ଉପରିସ୍ତ ଅଧିକାରୀ ପହଂଚି ନାହାନ୍ତି । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.