ବେହେରା ମିନି ଷ୍ଟାଡିୟମକୁ ସମ୍ପୂର୍ଣ୍ଣ କରିବା ପାଇଁ ଉଠିଲା ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ସାରା ଓଡ଼ିଶାରେ କ୍ରିଡାର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ତୃଣମୂଳ ସ୍ତରରେ କ୍ରିଡା ଭିତ୍ତିଭୂମି ସୁଦୃଢ କରିବା ପାଇଁ ପ୍ରତି ପଞ୍ଚାୟତ ତଥା ଗାଁ ଗାଁରେ ଖେଳ ପଡିଆ ତିଆରି ହେଉଛି । ଏହାସହ ବ୍ଲକ ମୁଖ୍ୟାଳୟ ଏବଂ ଉତ୍ତମ ଭିତ୍ତିଭୂମି ଥିବା ଗ୍ରାମାଞ୍ଚଳର ଜରୁରୀ ସ୍ଥାନରେ ମିନି ଷ୍ଟାଡିୟମ ନିର୍ମାଣ ହେଉଛି । ତେବେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଠାରେ ଅଧାପନ୍ତରିଆ ଭାବେ ପଡି ରହିଥିବା ମିନି ଷ୍ଟାଡିୟମକୁ ସମ୍ପୂର୍ଣ୍ଣ କରିବା ପାଇଁ ଦାବି ଜୋର ଧରିଛି । ଗତ କିଛି ବର୍ଷ ତଳେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ କଳାହାଣ୍ଡି ବିଜେଡି ସଭାପତି ଥିବା ପୁଷ୍ପେନ୍ଦ୍ର ସିଂ ଦେଓ ତାଙ୍କ ବିଧାୟକ ପାଣ୍ଠିରୁ ୨୦ ଲକ୍ଷ ଓ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ନବରଙ୍ଗପୁର ସାଂସଦ ରମେଶ ମାଝି ୫ ଲକ୍ଷ ଟଙ୍କା ଅନୁଦାନ କରିଥିଲେ । ଏହି ଅନୁଦାନରେ କେବଳ ୨ ପାର୍ଶ୍ବ ପଚେରୀ ସହିତ ମାଟି ପୋତା ଏବଂ ଏକ ଗେଟ୍ ତିଆରି କରାଯାଇଛି । ଦୀର୍ଘ ବର୍ଷ ପରେ ମଧ୍ୟ ଷ୍ଟାଡିୟମର କୈାଣସି ଉନ୍ନତି ହୋଇ ପାରିଲା ନାହିଁ କିମ୍ବା କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରିଲା ନାହିଁ ଯାହାକୁ ନେଇ ସ୍ଥାନୀୟ ଖେଳାଳି ମହଳରେ ଅସନ୍ତୋଷର ବାତାବରଣ ଦେଖାଦେଇଛି । ଏଠାରେ ପ୍ରକାଶଯୋଗ୍ୟ ଯେ, ଧର୍ମଗଡ ବ୍ଲକର ଏହି ବିଶାଳ ଭୁଖଣ୍ଡ ଦଣ୍ଡପାଟ ଅଞ୍ଚଳ ଭାବେ କଳାହାଣ୍ଡିରେ ସ୍ବତନ୍ତ୍ର ପରିଚିତି ଲାଭ କରିଛି । ଏହି ଅଞ୍ଚଳର ଅନେକ କ୍ରିଡାବିତ ଜିଲ୍ଲା ତଥା ରାଜ୍ୟ ସ୍ତରରେ ନିଜର କ୍ରିଡା ପ୍ରଦର୍ଶନ କରି ଦଣ୍ଡପାଟ ଅଞ୍ଚଳ ପାଇଁ ସୁନାମ ଆଣିଦେଇଛନ୍ତି । ଏହାସହ ଏଠାରେ ଜିଲ୍ଲା/ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଓ ଫୁଟବଲ ଟୁର୍ଣ୍ଣାମେଣ୍ଟ ଏବଂ ଦଣ୍ଡପାଟ ଧନୁଯାତ୍ରା ମଧ୍ୟ ଆୟୋଜିତ ହୋଇଥାଏ ‌। ଯଦି ବେହେରା ଠାରେ ସୁବ୍ୟବସ୍ଥିତ ଭାବେ ମିନି ଷ୍ଟାଡିୟମ ନିର୍ମାଣ ହୁଏ ତେବେ ଆଗାମୀ ଦିନରେ ଏଠାକାର ଯୁବପିଢି ଆଗକୁ ରାଜ୍ୟ କାହିଁକି ଜାତୀୟ ସ୍ତରରେ ମଧ୍ୟ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ, ଏଥିରେ ସନ୍ଦେହର ଅବକାଶ ନାହିଁ । ତେଣୁ ମାନ୍ୟବର ଧର୍ମଗଡ ବିଧାୟକ, ପ୍ରଶାସନ ତଥା ରାଜ୍ୟ ସରକାର ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେଇ ବେହେରା ମିନି ଷ୍ଟାଡିୟମର ଅଧୁରା କାର୍ଯ୍ୟ ସଂପୂର୍ଣ୍ଣ କରାଇବା ପାଇଁ ସାଧାରଣରେ ଦାବି ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.