ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସରକାରୀ ବିଭାଗ ଗୁଡିକର ଦାଇତ୍ୱହୀନ ଅଧିକାରୀଙ୍କ ଯୋଗୁଁ ବେଳେ ବେଳେ ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ଏପରିକି ଜୀବନ ପ୍ରତି ମଧ୍ୟ ବିପଦ ଦେଖାଦେଇଥାଏ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ଶିଶୁ ମନ୍ଦିର ଛକରେ । ଗତ ପାଞ୍ଚବର୍ଷ ତଳେ ରାସ୍ତା ପ୍ରଶସ୍ଥିକରଣ ନାମରେ କାହିଁ କେଉଁ ଆବହମାନ କାଳରୁ ଶହଶହ ବର୍ଷ ଧରି ଦଣ୍ଡାୟମାନ ଗଛ ସବୁକୁ ଛିନଛତ୍ର କରି କାଟି ପକାଇଲା ଜଙ୍ଗଲ ବିଭାଗ । ସବୁଜ ସୁନ୍ଦର ଆମ୍ରବୃକ୍ଷରେ ଭରପୁର ନର୍ଲା ଶିଶୁ ମନ୍ଦିର ଛକର ବୃକ୍ଷ ସବୁ କାଟିଦେବା ପରେ ଶ୍ରୀହୀନ ହୋଇପଡିଲା ଚାରିଛକ । ହେଲେ ଛକରେ ଛାଇପାଇଁ ବିଭାଗ ଦୟାକରି ଛାଡିଯାଇଥିବା ମାତ୍ର ୫ ଗୋଟି ଗଛ ମଧ୍ୟରୁ ଚାରି ବର୍ଷ ଠାରୁ ମୃତ ହୋଇ ଶୁଖିଲା କାଠ ପାଲଟିଯାଇଥିବା ତିନିଗୋଟି ଗଛ ଚାରିଛକର ଜନସାଧାରଣଙ୍କ ପ୍ରତି ବର୍ତ୍ତମାନ ବିପଦ ହୋଇ ଛିଡା ହୋଇଛି । ଗତବର୍ଷତ ଝଡ ତୋପାନ ସମୟରେ ଗୋଟିଏ ଗଛ ଭାଙ୍ଗି ପଡିଥିଲା । ଆଉ ଗୋଟିଏ ଗଛକୁ ଘୁର୍ଣ୍ଣିବାତ୍ୟା ପୂର୍ବରୁ ଅଗ୍ନିଶମ ବିଭାଗ ତରଫରୁ କାଟି ଦିଆଗଲା । ହେଲେ ଚଳିତ ବର୍ଷ ଖରାଦିନ ଆରମ୍ଭରୁ ଏହି ଶୁଖିଲା ଗଛ ଗୁଡିକ ପବନରେ ଦୋହଲି ତାର ଶାଖା ଗୁଡିକ ଖଣ୍ଡ ଖଣ୍ଡ ହୋଇ ଛିଣ୍ଡି ପଡୁଥିବା ଦେଖିବାକୁ ମିଳୁଛି । ପ୍ରତ୍ୟହ ବିଦ୍ୟାଳୟକୁ ପଢିବା ପାଇଁ ଛାତ୍ରଛାତ୍ର ମାନେ ଆସି ଏହି ଗଛ ନିକଟରେ ଗାଡି, ବାଇକରୁ ଓହ୍ଲାଇ ବିଦ୍ୟାଳୟକୁ ଯାଇଥାନ୍ତି । ଏହାବାଦ୍ ଶିଶୁ ମାନଙ୍କୁ ଛାଡିବା ପାଇଁ ଓ ସ୍କୁଲ ଛୁଟିହେଲେ ନେବାପାଇଁ ଆସିଥିବା ଅବିଭାବକ ମାନେ ଏହି ଶୁଖିଲା ବିପଦ ସଂକୁଳ ବୃକ୍ଷତଳେ ଅପେକ୍ଷା କରିବାକୁ ପଡିଥାଏ । ଶୁଖିଲା ଦିନରେ ଯାହା ଘଟିଯାଇଛି । ଖୁବ୍ ଯୋର୍ ବର୍ଷା ଓ ପବନ ହେଲେ ଉକ୍ତ ଶୁଖିଲା ବିପଦ ସଂକୁଳ ଗଛ ଗୁଡିକର ଶାଖା ପ୍ରଶାଖା ଖଣ୍ଡ ଖଣ୍ଡ ହୋଇ ରାସ୍ତା ଉପରେ ପଡୁଥିବା ଦୃଶ୍ୟମାନ ହେଉଛି । ବିଶେଷ କରି ନର୍ଲା ଚାରିଛକ ଏଟିଏମ୍ ସମ୍ମୁଖସ୍ଥ ସୁଖିଲା ଆମ୍ବଗଛ । ଯାହା ଗତ ବର୍ଷ ଏଟିମ୍ ର ଛାତ ଉପରେ ଖଣ୍ଡେ ସୁଖିଲା ଶାଖା ପଡି ଛାତକୁ ଖଣ୍ଡଆ ଖାବରା କରିଥିଲା । ଦ୍ୱିତୀୟ ସୁଖିଲା ଗଛ ପାଣ୍ଡା ପାନ ଦୋକାନ ସମ୍ମୁଖରେ ରହିଛି । ଯେଉଁଠି ସକାଳୁ ସଂଧ୍ୟା ଯାଏଁ ଜନସାଧାରଣଙ୍କ ଭିଡ ଜମିଥାଏ । ଆଉ ଏକ ସୁଖିଲା ଆମ୍ବ ଗଛ ଗେଟ ଫାଟକ ନିକଟସ୍ଥ ନମ୍ରତା ହାର୍ଡୱେର ଦୋକାନ ସମ୍ମୁଖସ୍ଥ ଟ୍ରାନ୍ସଫରମରକୁ ଲାଗିକି ରହିଥିବା ବେଳେ ଏହି ଭୀମକାୟ ବିଶାଳ ସୁଖିଲା ଗଛ ବିପଦ ସାଜିଛି । ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ କାଳ ବୈଶାଖି ହେବା ସ୍ୱାଭାବିକ । ଆଉ କାଳ ବୈଶାଖିରେ କାଳ ସାଜିପାରେ ଏହି ସୁଖିଲା ଗଛ । ଏହି ସୁଖିଲା ଗଛ ଗୁଡିକୁ ଯଦି ସମୟ ପୂର୍ବରୁ କଟା ନଯାଏ ତାହେଲେ ବର୍ଷାଦିନରେ ଏହା ଯେ ନିଶ୍ଚିତ ବିପଦର କାରଣ ସାଜିବ ଏଥିରେ ତିଳେହେଲେ ସଂଦେହ ନାହିଁ ବୋଲି ବୁଦ୍ଧିଜୀବି ମହଲରୁ ମତ ପ୍ରକାଶ ପାଉଛି । ତିନି ବର୍ଷ ହୋଇଗଲାଣି ଅଗ୍ନିଶମ ବିଭାଗ ନର୍ଲା ତରଫରୁ ଗଛ କଟାଯିବ କହି ଚାଲିଥିଲେ ମଧ୍ୟ ସୁଖିଲା ଗଛ କଟାଇ ପାରୁନି । ଅଗ୍ନିଶମ ବିଭାଗ ଆମ ପାଖରେ ଛୋଟ କଟର ମେସିନ ନାହିଁ । ବିଦ୍ୟୁତ ବିଭାଗ ବିଦ୍ୟୁତ ବିଛିନ୍ନ କଲେହିଁ ଲାଇନ କଟାଇ ପାରିବ ବୋଲି ବାଆଁରେଇ ଚାଲିଥିବା ବେଳେ ନର୍ଲା ତହସିଲଦାର ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦେଉନଥିବା ଭଳି ଅନୁଭୁତ ହେଉଛି । ଜନସମାଗମ ସ୍ଥଳରେ ରହିଥିବା ଏହି ତିନିଗୋଟି ସୁଖିଲା ବିପଦ ସଙ୍କୁଳ ଭୀମକାୟ ବୃକ୍ଷ ଗୁଡିକୁ ବିପଦର କାରଣ ସାଜିବା ପୂର୍ବରୁ କେମିତି କଟାହୋଇ ଆସନ୍ତା ବିପଦର ଆଶଙ୍କାକୁ ଦୂରିଭୁତ କରାଯାଇ ପାରିବ ସେଥିପ୍ରତି ପିଡବ୍ଲୁଡି ବିଭାଗ, ଅଗ୍ନିଶମ ବିଭାଗ ଓ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୃଷ୍ଟିଦେଇ ଗଛ କାଟିବାର ବ୍ୟବସ୍ଥା କରନ୍ତୁ ବୋଲି ବୁଦ୍ଧିଜିବୀ ମହଲରୁ ଦାବୀ ହେଉଛି ।