ଜିଲ୍ଳାରେ କଡାକଡି ଭାବେ ପାଳନ କରାଯାଉଛି ନିର୍ବାଚନ ଆଚରଣ ବିଧି – ଜିଲ୍ଳାପାଳ, ରାୟଗଡ

● ନିର୍ବାଚନ ଆଚରଣ ବିଧି ସଂପର୍କରେ ସାମ୍ବାଦିକ ସମ୍ମିଳନୀ

ରାୟଗଡ,୧୪/୩ : ଭାରତର ମୁଖ୍ୟ ନିର୍ବାଚନ ଆୟୋଗ ଗତ ମାର୍ଚ୍ଚ ୧୦ତାରିଖରୁ ନିର୍ବାଚନ ଆଚରଣ ବିଧି ସାରା ଦେଶରେ ଲାଗୁ ନେଇ ଘୋଷଣା କରିବା ସହ ଆସନ୍ତା ଏପ୍ରିଲ ୧୧ ତାରିଖରେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ବୋଲି ପରିପ୍ରକାଶ କରିଥିଲେ । ତେବେ ଗତ ଦୁଇ ଦିନ ପୂର୍ବରୁ ଲାଗୁ ହୋଇଥିବା ନିର୍ବାଚନ ଆଚରଣ ବିଧି ସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅବଗତ ତଥା ନିର୍ବାଚନ ସମୟରେ ଆଚରଣ ବିଧି ନିୟମାନୁସାରେ ନିଜର କାର୍ଯ୍ୟ ତୁଲାଇବା ବିଷୟରେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଥିବା ସଦଭାବନା କକ୍ଷଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଳାପାଳ ସୁଧାକର ଶବର, ରାୟଗଡ ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ, ଗୁଣପୁର ଉପଜିଲ୍ଳାପାଳ, ନିର୍ବାଚନ ବିଭାଗର ସହକାରୀ ଜିଲ୍ଳାପାଳ ନାରାୟଣ ମିଶ୍ର, ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଆସନ୍ତା ଏପ୍ରିଲ ମାସର ୧୧ତାରିଖରେ ହେବାକୁ ଥିବା ନିର୍ବାଚନ ସକାଶେ ଚଳିତ ମାସର ୧୮ତାରିଖରୁ ୨୫ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ କରାଯିବ । ଏଥି ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରୁଥିବା ପ୍ରାର୍ଥୀମାନେ ନିଜ ସାଥିରେ କେବଳ ୫ଜଣଙ୍କୁ ନେଇ ନିର୍ବାଚନ ଅଧିକାରୀଙ୍କ ଠାରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଥିବା ବେଳେ ଏଥିରେ ସ୍ୱାଧୀନ ଭାବେ ଲଢୁଥିବା ପ୍ରାର୍ଥୀମାନେ ନିଜ ସାଥିରେ ୧୦ଜଣ ପ୍ରସ୍ତାବକଙ୍କ ସାଥିରେ ଯାଇ ପାରିବେ ବୋଲି ସୂଚନା ଦିଆଯାଇଛି । ଶୋଭାଯାତ୍ରାରେ କେବଳ ୩ଟି ଗାଡି ପାଇଁ ଆଦେଶ ରହିଥିବା ଜଣାପଡିଛି । ସେହିପରି ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଲାଗୁ ହୋଇଥିବା ନିର୍ବାଚନ ଆଚରଣ ବିଧିକୁ କଡାକଡି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାରୁ ଜିଲ୍ଳାରେ ଲଗାଯାଇଥିବା ବିଭିନ୍ନ ସରକାରୀ ଯୋଜନାର ପୋଷ୍ଟର, ବ୍ୟାନରଗୁଡିକକୁ ହଟାଯାଇଥିବା ବେଳେ ଆଉ କିଛି ବାକି ରହିଥିବା ପୋଷ୍ଟର ବ୍ୟାନରକୁ ଯଥାଶୀଘ୍ର ହଟାଇ ଦିଆଯିବ ବୋଲି ଜିଲ୍ଳାପାଳ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

ଲୋକସଭା ପ୍ରାର୍ଥୀ ନିର୍ବାଚନ ସମୟରେ ୭୦ଲକ୍ଷ ଏବଂ ବିଧାୟକ ପ୍ରାର୍ଥୀ ୨୮ଲକ୍ଷ ଟଙ୍କା ଖର୍ଚ୍ଚ ଭିତରେ ବ୍ୟୟବରାଦ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି । ଏହି ସମୟରେ ଯେଉଁ ପ୍ରାର୍ଥୀମାନେ ନିର୍ବାଚନ ଲଢିବା ପାଇଁ ନିଜର ପ୍ରାର୍ଥୀପତ୍ର ଦାଖଲ କରିବା ସହ ନିଜ ନାମରେ ଯଦି କୈାଣିସ ଅପରାଧିକ ମାମଲା ଥାଏ ବା ନ ଥାଏ ଏହି ସଂପର୍କରେ ଖବରକାଗଜରେ ୩ଥର ଲେଖାଏଁ ବିଜ୍ଞାପନ ପ୍ରକାଶିତ କରିବା ପାଇଁ ପଡିବ ବୋଲି ମଧ୍ୟ ସୂଚନା ଦିଆଯାଇଛି । ମାଇକ ଯୋଗେ ପ୍ରଚାରକୁ ରାତ୍ର ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରଖାଯିବା ସହ କୈାଣସି ଭୋଟରଙ୍କୁ ମଦ, ଟଙ୍କା ପ୍ରଲୋଭିତ କରି ସେମାନଙ୍କୁ ନିଜ ଦଳ ସପକ୍ଷରେ ଭୋଟ ଦେବା ପାଇଁ ଚେଷ୍ଠା କରିପାରିବେ ନାହିଁ ଏବଂ ଜିଲ୍ଳାରେ ଚୋରା ମଦ କାରବାର ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ନେଇ ଜିଲ୍ଳାପାଳ ସୂଚନା ଦେଇଥିବା ବେଳେ ଭୋଟରମାନଙ୍କୁ ମଦଟଙ୍କା ବଂଟନ ବିଷୟରେ କୈାଣସି ଖବର ପାଇଲେ ଗଣମାଧ୍ୟମ ପ୍ରତିନିଧିମାନେ ଜିଲ୍ଳା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇବା ପାଇଁ ଆଚରଣ ବିଧିରେ ନିୟମ ରହିଛି । ରାୟଗଡ ଜିଲ୍ଳାରେ ଭୋଟରମାନେ ଭୟମୁକ୍ତ ଓ ନିରପେକ୍ଷ ଭାବେ ନିଜର ମୂଲ୍ୟବାନ ଭୋଟ ଦେଇ ମତ ସାବସ୍ତ୍ୟ କରିବାରେ ଜିଲ୍ଳା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଳ୍ଳାପାଳ ପ୍ରମୋଦ କୁମାର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.