କଦମ ପଡ଼ିଆରୁ କ୍ରିକେଟ୍ ଟେକ୍ନିକାଲ୍ ଆନାଲିଷ୍ଟ: ସହଜ ନଥିଲା ଗାୟତ୍ରୀଙ୍କ ଯାତ୍ରା

ଓଡ଼ିଆ ବାର୍ତ୍ତା/ ଅନୁଗୁଳ: ଇଚ୍ଛା ଓ ନିଷ୍ଠା ଆଗରେ ହାର୍ ମାନିଛି ପ୍ରତିବନ୍ଧକ । ଗାୟତ୍ରୀଙ୍କୁ ସଂଘର୍ଷ ଦେଇଛି ସଫଳତା । ଅନୁଗୁଳ ଜିଲ୍ଲା ଉଗି ମାଳିସାହି ଗାଁର ହେମନ୍ତ ବେହେରା ଓ ବୀଣାପାଣି ବେହେରାଙ୍କ ଝିଅ ଗାୟତ୍ରୀ । ଛୋଟ ବେଳେ ଗାଁ ପଡ଼ିଆରେ ପିଲାଙ୍କ କ୍ରିକେଟ ଖେଳ ଦେଖି ସେ ବି ଖେଳିବାକୁ ମନ ବଳାଇଥିଲେ । ଆଉ ଖେଳିବା ଆରମ୍ଭ କରିଥିଲେ । ଝିଅ ହୋଇଥିଲେ ବି ବାରଣ କରିନଥିଲେ ପରିବାର ଲୋକ । କ୍ରିକେଟ୍ ପାଇଁ ପାଗଳ ଗାୟତ୍ରୀ ଦୈନିକ ୩୦ କିଲୋମିଟର ଅନୁଗୁଳ ଯାଇ ଖେଳ ସାରି ଫେରନ୍ତି । ଏପରିକି ବସରେ ଯା’ଆସ ପାଇଁ ତାଙ୍କ ପାଖେ ଟଙ୍କା ନଥାଏ । କ୍ରିକେଟ ପାଇଁ ସବୁ କଷ୍ଟ ସହିଥିବା ଗାୟତ୍ରୀ ଏବେ ରାଜ୍ୟ ମହିଳା କ୍ରିକେଟ ଦଳର ଟେକ୍ନିକାଲ୍ ଆନାଲିଷ୍ଟ ଭାବେ ନିଯୁକ୍ତ ହୋଇଛନ୍ତି । ନିପଟ ମଫସଲ ଗାଁରୁ କ୍ରିକେଟ୍ ଟେକ୍ନିକାଲ ଆନାଲିଷ୍ଟ ହେବା ଏତେଟା ସହଜ ନଥିଲା । ଜିଲ୍ଲା ପାଇଁ ଖେଳୁଥିବା ବେଳେ ଗାୟତ୍ରୀ ରାଜ୍ୟ ପାଇଁ ଖେଳିବାକୁ ଆଶା ରଖିଥିଲେ ମଧ୍ୟ ସଫଳ ହୋଇ ନଥିଲେ । ଏବେ ଓଡ଼ିଶା କ୍ରିକେଟ୍ ଦଳ ପାଇଁ ଖେଳାଳିଙ୍କୁ ଭଲ ଭାବେ ଗଢ଼ିବା ଦାୟିତ୍ୱ ଗାୟତ୍ରୀଙ୍କ କାନ୍ଧରେ । ଯାହାକୁ ନେଇ ତାଙ୍କ ପରିବାର, ଗାଁ ଲୋକ ଓ ସାଙ୍ଗସାଥୀ ବେଶ୍ ଖୁସି । କଦମ ପଡ଼ିଆରେ କ୍ରିକେଟ୍ ପାଇଁ ଦୌଡ଼ୁଥିବା ପାଦ ଆଜି ଓଡ଼ିଶା ପାଇଁ ଖେଳାଳି ଗଢ଼ୁଛି । ଅନୁଗୁଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଗାୟତ୍ରୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.