ଆଇଏସଆଇକୁ ଟାର୍ଗେଟ କଲେ ଇମ୍ରାନ ଖାନ୍

ଓଡ଼ିଆ ବାର୍ତ୍ତା/ ଇସଲାମବାଦ: ପାକିସ୍ତାନରେ ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ଏବେ ଛକାପଞ୍ଝା ଲାଗି ରହିଛି । ଏହାରି ଭିତରେ ସରକାର ହଟାଇବା ପାଇଁ ଇମ୍ରାନ ଖାନ ଜୋରସୋରରେ ଲାଗିଥିବା ବେଳେ ପାକିସ୍ତାନ ସେନା ତାଙ୍କୁ ଜେଲରେ ପୁରାଇବା ପାଇଁ ଗୋଟେ ପରେ ଗୋଟେ ମାମଲା ରୁଜୁ କରୁଛି । ବିବାଦୀୟ ମନ୍ତବ୍ୟକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ଏବେ ପାକିସ୍ତାନ ସେନା ଏବଂ ଗୁପ୍ତଚର ସଂସ୍ତା ଆଇଏସଆଇ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି । ଇମ୍ରାନ ଖାନଙ୍କ ଉପରେ ଆଇଏସଆଇ ଗୋଟେ ପରେ ଗୋଟେ ଅଭିଯୋଗ ଲଗାଉଥିବା ବେଳେ ଇମ୍ରାନ ଖାନ ମଧ୍ୟ  ଆଇଏସଆଇକୁ ଟାର୍ଗେଟ କରୁଛନ୍ତି । ଆଇଏସଆଇର ଅସଲ ମୁଖା ଆବଶ୍ୟକ ବେଳେ ଖୋଲିଦେବେ ବୋଲି କହିଛନ୍ତି ଇମ୍ରାନ ଖାନ । ତେବେ କଣ ସେ ଗୁପ୍ତ ରହସ୍ୟ ଜାଣନ୍ତି ତାହା ସେ କେବେ କହୁନାହାଁନ୍ତି ।

ଆଇଏସଆଇ ମୁଖ୍ୟ ନଦୀମ ଅଞ୍ଜୁମଙ୍କୁ  ଧମକ ଦେଇ ସେ କହିଛନ୍ତି ଯେ ଦେଶକୁ ଭଲ ପାଉଥିବାରୁ ସେ ଏପର୍ଯ୍ୟନ୍ତ ଚୁପ ରହିଛନ୍ତି । ତେବେ ଆବଶ୍ୟକ ପଡିଲେ ସେ ଗୁପ୍ତ କଥା ସମସ୍ତଙ୍କୁ ଜଣାଇବେ ବୋଲି ଚେତାବନୀ ଦେଇଛନ୍ତି । ଆଇଏସଆଇ ମୁଖ୍ୟ ପୂର୍ବରୁ କହିଥିଲେ ଇମ୍ରାନ ଖାନ ପ୍ରଥମେ ସେନା ମୁଖ୍ୟଙ୍କୁ ରାତିରେ ଭେଟି ଆଲୋଚନା କରନ୍ତି ପରେ ସକାଳେ ତାଙ୍କୁ ଦେଶଦ୍ରୋହୀ ବୋଲି କୁହନ୍ତି ।

ସେପଟେ ଇମ୍ରାନ ଖାନ୍ ପାକିସ୍ତାନ ସରକାର ବିରୋଧରେ ଏବେ ଯାତ୍ରା ଆରମ୍ଭ କରିଛନ୍ତି  । ପାକିସ୍ତାନରେ ସେନା ବିରୋଧରେ ଇମ୍ରାନ ଖାନ ମୋର୍ଚ୍ଚା ଖୋଲିବା ସହ ଆଇଏସଆଇ ବିରୋଧରେ ମଧ୍ୟ କହିବାକୁ ନେଇ ଏବେ ଜୋରଦାର ଚର୍ଚା ଚାଲିଛି । କାରଣ ପୂର୍ବରୁ କୈାଣସି ପ୍ରଧାନମନ୍ତ୍ରୀ ସେନା କି ଆଇଏସଆଇ ବିରୋଧରେ କହିବାକୁ ସାହସ କରିନଥାନ୍ତି । କିଛି ଦିନ ପୂର୍ବରୁ ଆଇଏସଆଇ ମୁଖ୍ୟ କହିଥିଲେ କି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବେଆଇନ ଭାବେ କାର୍ଯ୍ୟ କରିବାକୁ ପୋଲିସକୁ ନିର୍ଦେଶ ଦେଉଥିଲେ । ଯାହାକୁ ନେଇ ଇମ୍ରାନ ଖାନଙ୍କ ବିରୋଧରେ ମାମଲା ଦାୟର ହୋଇଛି । ଏସବୁ ଭିତରେ ଲିବର୍ଟି ଛକରୁ ଇସଲାମବାଦ ଯାତ୍ରା କରୁଛନ୍ତି ଇମ୍ରାନ ଖାନ । ସରକାର ବଦଳାଇବା ପାଇଁ ସେ ଏହି ଯାତ୍ରା ଆରମ୍ଭ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.