ଭବାନୀପାଟଣାରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା: ମଞ୍ଚ ଉପରୁ ନବୀନଙ୍କୁ ଟାର୍ଗେଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡିର ଇଷ୍ଟଦେବୀ ମା ମାଣିକେଶ୍ବରୀଙ୍କ ଦର୍ଶନ କରିବା ପରେ ଆଜି ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଆୟୋଜିତ ବିଜେପିର ‘ମହା ଜନସମ୍ପର୍କ ଅଭିଯାନ’ରେ ସାମିଲ ହୋଇଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସଭାରେ ଉପସ୍ଥିତ ବିଶାଳ ଜନସମୁଦାୟକୁ ସମ୍ବୋଧିତ କରି ସେ ମୋଦୀ ସରକାରଙ୍କ ୯ ବର୍ଷର ସଫଳତାର କାହାଣୀ ଓ ରିପୋର୍ଟ କାର୍ଡ ପ୍ରଦାନ କରିଥିଲେ । ଆରମ୍ଭରେ ବାହାନଗା ରେଳ ଦୁର୍ଘଟଣାରେ ମୃତକମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାସହ ‘ଜୟ ଜଗନ୍ନାଥ’ରୁ ସେ ନିଜ ଅଭିଭାଷଣ ଆରମ୍ଭ କରିଥିଲେ । ୧୧ କୋଟି ଲୋକଙ୍କୁ ଆୟୁଷ୍ମାନ ଯୋଜନା ସୁଫଳ ମିଳିଛି । ହେଲେ କିନ୍ତୁ ନବୀନ ବାବୁ ଏହାକୁ ଲାଗୁ କରୁନାହାନ୍ତି । ଓଡ଼ିଶା ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ କରାଯାଉଛି ବୋଲି କହିଛନ୍ତି ନଡ୍ଡା । ତେବେ ଓଡ଼ିଶାର ୩.୫ କୋଟି ଲୋକଙ୍କୁ ମୋଦୀ ସରକାର ରାସନ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ସେ ବିଜେଡିକୁ ସିଧା ନିଶାନା କରିଛନ୍ତି । ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ମିଳୁନି । ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନେ ଘର ପାଉ ନାହାନ୍ତି । ତେବେ ମଞ୍ଚ ଉପରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧା ଟାର୍ଗେଟ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ । ନଡ୍ଡା କହିଛନ୍ତି, ଓଡ଼ିଶାକୁ ଚଳାଉଛି କିଏ, ନେତା ନା ଅଫିସର ? ଓଡ଼ିଶା ସବୁଠାରୁ ପଛୁଆ ଓ ଗରିବ ରାଜ୍ୟ ଭାବେ ଏବେ ବି ପରିଚିତ ହେଉଛି । ନବୀନ ବାବୁ କିଛି କରୁ ନାହାନ୍ତି । ଆଉଟ୍ ସୋର୍ସିଂରେ ରାଜ୍ୟ ସରକାର ଚାଲିଛି । ବିଧାୟକ, ସାଂସଦ, ମନ୍ତ୍ରୀଙ୍କ କଥା ରହୁନି । ଏଭଳି ସରକାର ଦରକାର କି ବୋଲି ପ୍ରଶ୍ନ କରିଛନ୍ତି ନଡ୍ଡା । ଏହାସହ ବିଭିନ୍ନ ପ୍ରସଙ୍ଗରେ ସେ ବିଜେଡ଼ି ଓ କଂଗ୍ରେସକୁ ସମାଲୋଚନା କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ଏହି ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶେଶ୍ୱର ଟୁଡୁ, ବିଜେପିର ଓଡ଼ିଶା ପ୍ରଭାରୀ ଡି.ପୁରୁନ୍ଦେଶ୍ୱରୀ, ରାଜ୍ୟ ସଭାପତି ମନମୋହନ ସାମଲ, ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ମହା ଜନସମ୍ପର୍କ ଅଭିଯାନରେ ଯୋଗ ଦେଇଥିବାରୁ କଳାହାଣ୍ଡି ବିଜେପିର କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ବେଶ ଉତ୍ସାହିତ ଥିବା ଦେଖା ଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.