ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚଇବା ପାଇଁ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ କିଛିଦିନ ତଳେ ଘୋଷଣା କରିଥିଲେ। ଏହି କ୍ରମରେ ଗାଁରେ ପ୍ରଶାସନ ଅଭିଯାନ ଚଳାଇ ପ୍ରତି ପଞ୍ଚାୟତରେ ଅଭିଯୋଗ ଶୁଣାଣି ଶିବିରର ଆୟୋଜନ କରଯାଇଛି। ଲୋକେ ନିଜ ସମସ୍ୟା ବ୍ଲକ ତଥା ଜିଲା କାର୍ଯ୍ୟାଳୟକୁ ଯାଇ ଜଣାଇବା ପରିବର୍ତ୍ତେ ନିଜ ଗାଁ ତଥା ପଞ୍ଚାୟତରେ ଜଣାଇ ପାରୁଛନ୍ତି। ସେହିଭଳି ଅସହାୟ ବୃଦ୍ଧବୃଦ୍ଧା ଭତ୍ତା ଆଣିବା ପାଇଁ ବ୍ୟାଙ୍କକୁ ଯାଇପାରୁ ନଥିବାରୁ ବ୍ୟାଙ୍କ ଅଧିକାରୀ ସମ୍ପୃକ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ଭତ୍ତା ଟଙ୍କା ପ୍ରଦାନ କରୁଛନ୍ତି। ଆଜି ସିନାପାଲି ଅନ୍ତର୍ଗତ ଭରୁଆମୁଣ୍ଡା ପଞ୍ଚାୟତର ଚଚରାଭଟା ଗ୍ରାମରେ ହାତିବନ୍ଧା ବ୍ୟାଙ୍କ ଶାଖା ପରିଚାଳକ କ୍ଷୀରୋଦ ସାହୁଙ୍କ ସମେତ ବିଭାଗୀୟ ଅଧିକାରୀ କର୍ମଚାରୀ ପହଞ୍ଚି ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ପ୍ରଦାନ କରିଥିଲେ। ସୂଚନା ଯୋଗ୍ୟ ଯେ, ଭତ୍ତା ବଣ୍ଟନରେ ସ୍ୱଚ୍ଛତା ଆଣିବା ପାଇଁ ବର୍ତ୍ତମାନ ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା ଟଙ୍କା ପ୍ରଦାନ କରାଯାଉଛି। ଯେଉଁ ହିତାଧିକାରୀମାନେ ବ୍ୟାଙ୍କକୁ ଯାଇପାରୁ ନାହାନ୍ତି ତାଙ୍କୁ ବ୍ୟାଙ୍କ ଅଧିକାରୀ ଘରକୁ ଆଣି ଦେଉଛନ୍ତି। ପ୍ରଶାସନର ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି। ଭତ୍ତା ଟଙ୍କା ପ୍ରଦାନ ସମୟରେ ସ୍ଥାନୀୟ ସମିତି ସଭ୍ୟ ଲୋକେଶ ମାଝୀ ଉପସ୍ଥିତ ରହି ସହଯୋଗ କରିଥିଲେ।