କଳାହାଣ୍ଡି ଲୋକସଭା କ୍ଷେତ୍ରରେ ତ୍ରିମୁଖି ଲଢ଼େଇ 

ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ କଡ଼ା ମୁକାବିଲା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଲୋକସଭା ସାଂସଦୀୟ କ୍ଷେତ୍ରରେ ମଇ ୧୩ ତାରିଖ ଦିନ ହେବ ଭୋଟ ଗ୍ରହଣ। ୨୦୨୪ ସାଧାରଣ ନିର୍ବାଚନ ପାଇଁ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ଲମ୍ବୋଦର ନିଆଲ, ବିଜେପିରୁ ମାଳବିକା କେଶରୀ ଦେଓ, କଂଗ୍ରେସରୁ ଦ୍ରୌପଦୀ ମାଝୀ, ବହୁଜନ ମୁକ୍ତି ପାର୍ଟିରୁ ଗଙ୍ଗାଧର ଜାଲ, ବହୁଜନ ସମାଜ ପାର୍ଟିରୁ ରଞ୍ଜନ ସାହୁ, ବିଏସପିରୁ ବିରଞ୍ଚି ନାରାୟଣ ଦୁର୍ଗା, ସମାଜବାଦୀ ପାର୍ଟିରୁ ଶିବ ହାତୀ, ସମୃଦ୍ଧ ଓଡିଶାରୁ ହିମାଂଶୁ ତ୍ରିପାଠୀ, ସ୍ବାଧିନ ପ୍ରାର୍ଥୀ ଭାବେ ନରେଶ ହିଆଲ, ଡ଼ଃ ଧର୍ମେନ୍ଦ୍ର ଗହୀର, ଉମାକାନ୍ତ ତାଣ୍ଡି, ଧର୍ମାନନ୍ଦ ଗହୀର ଓ ରାଜାରାମ ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ବିଗତ ନିର୍ବାଚନ ପରି ଚଳିତ ଥର ମଧ୍ୟ ମୁଖ୍ୟତଃ ବିଜେପି, ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖି ଲଢ଼େଇ ହେବବୋଲି ଆକଳନ କରାଯାଉଛି। ତେବେ ଅନ୍ୟାନ୍ୟ ଦଳୀୟ ପ୍ରାର୍ଥୀ ଓ ସ୍ବାଧିନ ପ୍ରାର୍ଥୀ ତିନି ଦଳର ପ୍ରାର୍ଥୀଙ୍କୁ ହାର୍ ଜିତ୍ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବାର ସମ୍ଭାବନାକୁ ଆଡେଇ ଦିଆଯାଇ ପାରିବ ନାହିଁ। ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ତିନି ପ୍ରମୁଖ ଦଳ କର୍ମୀ ସମ୍ମିଳନୀ କରିବା ସହ ଜନତାଙ୍କ ନିକଟତର ହୋଇଥିବାବେଳେ ବର୍ତ୍ତମାନ ସମସ୍ତ ଦଳୀୟ ଏବଂ ସ୍ବାଧିନ ପ୍ରାର୍ଥୀମାନେ ନିଜ ନିଜ ପ୍ରଚାର ଆରମ୍ଭ କରିଦେଇଥିବା ଦେଖାଯାଇଛି। ବିଜେଡ଼ି ରାଜ୍ୟର ନବୀନ ସରକାରଙ୍କ ବିକାଶଧାରା ଓ ବିଜେପି କେନ୍ଦ୍ରର ମୋଦୀ ସରକାରଙ୍କ ଜନହିତକର ଯୋଜନା ସମୁହକୁ ନେଇ ଜନତାଙ୍କ ପାଖକୁ ପହଞ୍ଚୁଛି। କଂଗ୍ରେସ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଜନତାଙ୍କ ପାଖରେ ବଖାଣି ଭୋଟ ଭିକ୍ଷା କରୁଥିବା ଦେଖାଯାଇଛି। ଆଗକୁ ତିନି ଦଳ ଦମଦାର ନିର୍ବାଚନୀ ଇସ୍ତାହାର ଧରି ତୃଣମୂଳ ସ୍ତରକୁ ଯିବେ ଓ ନିଜ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବେ। 

୨୦୧୯ ନିର୍ବାଚନରେ କଳାହାଣ୍ଡି ସାଂସଦ ଆସନ ବିଜେପି ଅକ୍ତିଆର କରିଥିଲା। ଏହି ସାଂସଦୀୟ କ୍ଷେତ୍ରର ନର୍ଲା, ଜୁନାଗଡ଼, ଧର୍ମଗଡ଼, ଲାଞ୍ଜିଗଡ଼ ଓ ନୂଆପଡ଼ା ଆଦି ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥୀମାନେ ବିଜୟୀ ହୋଇଥିବାବେଳେ ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ହାତକୁ ଏବଂ ଖଡ଼ିଆଳ ବିଧାନସଭା ଆସନ କଂଗ୍ରେସ ହାତକୁ ଯାଇଥିଲା। ଚଳିତ ନିର୍ବାଚନରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ କଂଗ୍ରେସକୁ ବାଏ ବାଏ କରି ବିଜୁ ଜନତା ଦଳରେ ଯୋଗଦେଇ ବିଜେଡ଼ିର ଖଡ଼ିଆଳ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ତେଣୁ ଖଡ଼ିଆଳରେ ଅଧିରାଜଙ୍କୁ ନେଇ ଦଳ ଅଧିକ ଆଶାବାଦୀ ଥିବା ଦେଖାଯାଇଛି। ଖଡ଼ିଆଳ ଆସନର ବିଜେପି ଓ କଂଗ୍ରେସ ପ୍ରାର୍ଥୀ ମଧ୍ୟ ଦମଦାର ସ୍ଥିତିରେ ଥିବା କୁହାଯାଉଛି। ଭବାନୀପାଟଣାରେ ବିଜେପିର ଦୁର୍ଗକୁ ଭେଦ କରିବାକୁ ବିଜେଡ଼ି ମହିଳା କାର୍ଡ ଖେଳି ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକଙ୍କ ଧର୍ମପତ୍ନୀ ଲଳିତା ନାଏକଙ୍କୁ ପ୍ରାର୍ଥୀ କରିଛି। ୨୦୧୯ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରଦୀପ୍ତ ନାଏକ ଦୁର୍ଗ ରକ୍ଷା ପାଇଁ ସମସ୍ତ ପ୍ରୟାସ କରୁଥିବାବେଳେ ତାଙ୍କୁ କଂଗ୍ରେସ ପ୍ରାର୍ଥୀ ସାଗର ଚରଣ ଦାସ ଓ ବିଜେଡ଼ି ପ୍ରାର୍ଥୀନୀ ଲଳିତା ନାଏକ କଡ଼ା ଟକ୍କର ଦେବେ ବୋଲି ଚର୍ଚ୍ଚା ହେଉଛି। ପୂର୍ବତନ କୋକସରା ନିର୍ବାଚନ ମଣ୍ଡଳୀରେ ଅନେକ ଥର ବିଜୟୀ ହୋଇଥିବା ଏବଂ ପରବର୍ତ୍ତୀ ସମୟରେ ଧର୍ମଗଡରେ ମଧ୍ୟ ବିଧାୟକ ଓ ମନ୍ତ୍ରୀ ହୋଇଥିବା ପୁଷ୍ପେନ୍ଦ୍ର ସିଂଦେଓ ଏଥର ଧର୍ମଗଡ଼ର ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ସହ କଂଗ୍ରେସର ରଶ୍ମୀରେଖା ରାଉତ ଓ ବିଜେପିର ସୁଧିର ରଞ୍ଜନ ପଟ୍ଟଜୋଷୀ କଡ୍ଡା ଟକ୍କର ଦେବେ। ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ନୂଆପଡ଼ା ବିଧାୟକ ତଥା ଓଡ଼ିଶା ସରକାରଙ୍କ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଓ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ଉପରେ ପୁନଃ ଭରସା କରି ଟିକେଟ ଦେଇଛି ବିଜେଡ଼ି। ଏହି ତିନି ଆସନରେ ମଧ୍ୟ ବିଜେପି ଓ କଂଗ୍ରେସ ସହ ବିଜେଡ଼ିର ଜୋରଦାର ଲଢେଇ ହେବ। ନର୍ଲାରେ ମହିଳା କାର୍ଡ ଖେଳି ମନୋରମା ମହାନ୍ତିଙ୍କୁ ବିଧାୟକ ପ୍ରାର୍ଥୀନୀ କରିଛି ବିଜେଡ଼ି। ତାଙ୍କ ବିପକ୍ଷରେ କଂଗ୍ରେସର ହେବିଓ୍ବେଟ ନେତା ଭକ୍ତ ଚରଣ ଦାସ ଓ ବିଜେପିରୁ ଅନିରୁଦ୍ଧ ପ୍ରଧାନ ଲଢେଇ କରିବେ। ନର୍ଲାରେ ଏଥର ଘମାଘୋଟ ଲଢେଇ ଦେଖିବେ ଜନତା।

ବିଗତ ତିନୋଟି ନିର୍ବାଚନର ଫଳାଫଳ କଥା ଦେଖିଲେ ଜଣାଯାଏ ଯେ, କଳାହାଣ୍ଡି ଜନତା ତିନି ପ୍ରମୁଖ ଦଳକୁ ନିରାଶ କରିନାହାନ୍ତି। ୨୦୦୯ରେ କଂଗ୍ରେସ, ୨୦୧୪ରେ ବିଜେଡ଼ି ଓ ୨୦୧୯ରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇ ସାଂସଦ ହୋଇଥିଲେ। ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ ୪୦୧୭୩୬ ଭୋଟ ପାଇ କଳାହାଣ୍ଡି ସାଂସଦ ନିର୍ବାଚିତ ହୋଇଥିଲେ। ବିଜେଡ଼ି ପ୍ରାର୍ଥୀ ସୁବାଷ ଚନ୍ଦ୍ର ନାଏକ ୨୪୭୬୯୯ ଭୋଟ ଓ ବିଜେପି ୨୨୧୮୫୧ ଭୋଟ ପିଇଥିଲେ। ୨୦୧୪ ନିର୍ବାଚନରେ କଂଗ୍ରେସ ହାତରୁ ସାଂସଦ ପଦବୀ ଛଡ଼େଇ ନେଇଥିଲା ବିଜେଡ଼ି। ସେହି ନିର୍ବାଚନରେ ଅର୍କ କେଶରୀ ଦେଓ ୩୭୦୮୭୧ ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେପି ପ୍ରାର୍ଥୀ ପ୍ରଦୀପ୍ତ କୁମାର ନାଏକ ୩୧୪୫୨୪ ଖଣ୍ଡ ଓ କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ ୩୦୭୯୬୭ ଖଣ୍ଡ ଭୋଟ ପାଇଥିଲେ। ନୋଟାରେ ୨୦୮୮୦ ଖଣ୍ଡ ଭୋଟ୍ ପଡ଼ିଥିଲା। ସମାଜବାଦୀ ପାର୍ଟି ପ୍ରାର୍ଥୀ ଶିବ ହାତୀ ୧୮୮୬୯ ଓ ବିଏସପି ପ୍ରାର୍ଥୀ ସରୋଜ କୁମାର ନାଏକ ୧୪୧୧୫ ଖଣ୍ଡ ଭୋଟ ପାଇଥିଲେ।

୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପୁଣି ତା’ର ସାଂସଦ ପଦ ଫେରି ପାଇଥିଲା। ବିଜେପିର ବସନ୍ତ କୁମାର ପଣ୍ଡା ୪୩୩୦୭୩ ଖଣ୍ଡ ଭୋଟ ପାଇ କଳାହାଣ୍ଡି ସାଂସଦ ଆସନରେ ବସିଥିଲେ। ସେହି ସମୟରେ ବିଜେଡ଼ି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ୪୦୬୨୬୦ ଓ କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ ୩୧୯୨୦୨ ଭୋଟ ପାଇଥିଲେ। ନୋଟାରେ ୨୧୧୯୯ ଖଣ୍ଡ ଭୋଟ ପଡ଼ିଥିଲା। ବିଏମପିର କମଳିନୀ ଯାଦବ ୧୫୮୬୪ ଭୋଟ ପାଇଥିବାବେଳେ ଏପିଆଇର ଛବିଲାଲ ନିଆଲ ୧୨୪୦୯ ଓ ବିଏସପିର ପ୍ରେମାନନ୍ଦ ବାଗ ୧୦୪୪୮ ଖଣ୍ଡ ଭୋଟ ପାଇଥିଲେ। ଏଥର ସାଂସଦ ବସନ୍ତ ପଣ୍ଡାଙ୍କ ଟିକେଟ କଟି ପୂର୍ବତନ ସାଂସଦ ଅର୍କ କେଶରୀ ଦେଓଙ୍କ ଧର୍ମପତ୍ନୀ ମାଳବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରିଛି ବିଜେପି। ଏହି ଦୁଇ ସାଂସଦଙ୍କ ବଗତ ଦିନର କାର୍ଯ୍ୟଧାରା ବର୍ତ୍ତମାନ ବିଜେପିର ଭୋଟ ଉପରେ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି।

ଗତ ନିର୍ବାଚନରେ ବିଜେପି ହାତକୁ ଯାଇଥିଲା କଳାହାଣ୍ଡି ଲୋକସଭା ସାଂସଦ ପଦ। ଚଳିତ ନିର୍ବାଚନରେ ବିଜେପି ଗଡ଼ ରକ୍ଷା ପାଇଁ ସମସ୍ତ ଉଦ୍ୟମ କରୁଥିବାବେଳେ ବିଜେଡ଼ି ଓ କଂଗ୍ରେସ ମଧ୍ୟ ଏହି ଆସନକୁ ଛଡ଼େଇ ନେବାପାଇଁ ରଣନୀତି ପ୍ରସ୍ତୁତ କରି ଲଢ଼େଇ କରିବେ। କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ରହିଛି ୭ ଗୋଟି ବିଧାନସଭା ଆସନ। କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ବିଜେପିରୁ ମାଳବିକା କେଶରୀ ଦେଓ ଏବଂ କଂଗ୍ରେସରୁ ଦ୍ରୌପଦୀ ମାଝୀ ରହିଛନ୍ତି। ଏହି ତିନି ପ୍ରାର୍ଥୀ କେହି କାହାଠାରୁ କମ୍ ନୁହଁନ୍ତି ବୋଲି ଚର୍ଚ୍ଚା ହେଉଛି। 

୧୯୫୨ ରୁ ୨୦୧୯ ପର୍ଯ୍ୟନ୍ତ କଳାହାଣ୍ଡି ଜନତା ୧୭ ଜଣ ଲୋକସଭା ସାଂସଦଙ୍କୁ ନିର୍ବାଚିତ କରି ସାରିଛନ୍ତି। କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ଗଣତନ୍ତ୍ର ପରିଷଦ ୨ଥର, ସ୍ବତନ୍ତ୍ର ପାର୍ଟି ୩ଥର, ସ୍ବାଧୀନ ପ୍ରାର୍ଥୀ ଥରେ, କଂଗ୍ରେସ ୪ ଥର, ଜନତା ଦଳ ଥରେ, ସମାଜବାଦୀ ଜନତା ପାର୍ଟି (ରାଷ୍ଟ୍ରିୟ) ଥରେ, ବିଜେପି ୪ ଥର ଓ ବିଜେଡ଼ି ପ୍ରାର୍ଥୀ ଥରେ ନିର୍ବାଚିତ ହୋଇଛନ୍ତି। ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ବସନ୍ତ କୁମାର ପଣ୍ଡା ବିଜୟୀ ହୋଇ ଲୋକସଭା ସାଂସଦ ହୋଇଥିଲେ। ତେବେ ଏଥରର ଲୋକସଭା ସମର ଭିନ୍ନ ଧରଣର ହେବା ସହ କଳାହାଣ୍ଡି ରାଜନୀତିରେ ନୂତନ ସମୀକରଣ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.